Unknown

 

 

 

 

 

 

 

 

 

 

 

ବିକ୍ରମ ଦେବ

ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ

 

ମିଳିଗଲା ଦେବ ଅପୂର୍ବେ ଆକାଶର ଚନ୍ଦ୍ର ସାଥେ କେଉଁ ଭାବେ

ଦ୍ୱିତୀୟା, ତୃତୀୟା, ପୂର୍ଣ୍ଣିମା ଚନ୍ଦ୍ର ଯାଏ ଆସେ

ସବୁଥିରେ ତୁମେ ଆସ

ତୁମେ ଯାଅ

ସୁନୀଳ ଆକାଶରେ

ବିଧୂନିତ ବାୟୁ ମୁକ୍ତ ହସେ

ଅଛି ଅଛି ପରା ମୋର ପରମାୟୁ

ଆଉ ହେ ଦେବ ତୁମେ ଯାଇଛ

ତହିଁ ଭୋଗିଣ ନିଜ ଅୟୁ ।

ମଙ୍ଗଳ ଆଶୀର୍ବାଦ ପବନର ହିଲ୍ଲୋଳେ

ଆସୁଅଛି ବହି

ଆଉ କି ଶରଦର ଚନ୍ଦ୍ରମାରେ

ବିକଶିତ ଧରା ଭୂଇଁ ।

ହେବ ତବ ଉଦୟେ ?

ସତ୍ୟ ସତ୍ୟ ସତ୍ୟ ମଳୟ କହେ ।

ସଉରା, ପରଜା, ଗାଦବା

କେତେ ବନବାସୀ ତୁମରି ପାଇଁ

ନାଚୁ ଥିଲେ ଆନନ୍ଦେ

ରାତି ସାରା ରହି ରହି ।

ଉପନିଷଦର ମନ୍ତ୍ର ସମ

ତୁମ ନାମ ଅନ୍ତରେ ଆମ

ଅନ୍ଧକାରେ ରଜନୀରେ ପଥିକର ନଉଡ଼ି

ତୁମେ ଥିଲ ଅସଂଖ୍ୟ ବିଧବାର,

ନିରାଶ୍ରିତର ଆଶ୍ରୟ ଦଉଡ଼ି ।

ହେ ଦେବ ! ହେ ଋଷି ! ହେ ସାଧକ ! ହେ ତ୍ୟାଗ ! ହେ ବୀର !

ଘେନ ମୋର ଚିର ନମସ୍କାର

ଭୁଲିବି ନାହିଁ କେବେ ସେ ମଧୁର ବ୍ୟବହାର ।

ସାହିତ୍ୟ ରସିକ ସଙ୍ଗୀତ ପ୍ରେମିକ କାବ୍ୟ ପାୟୀ

ଚିର ଜନମର ସାଧକ ତୁମେ

ସହିଥିଲ କେତେ ତ୍ୟାଗ ଦୁଃଖ ମର୍ମେ ମର୍ମେ ରହି ।

ଜ୍ଞାନୀ, ବୃଦ୍ଧ, ଯଶସ୍ୱୀ, ତପସ୍ୱୀ,

ଯାଇଛ ଚାଲି ଆକାଶ ଅବନୀ ଧନ୍ୟ କରି

ତୁମରି ନାମେ ଆମ ନାମ ହେଉ ପବିତ୍ରିତ

ତୁମରି ରଚିତ ଗାନେ,

ସାତ୍ତ୍ୱିକ ଭାବ ଉଦୟ ହେଉ ଆମ ମନେ ।

ଯୁଗଳ ରସାମୃତ ଲହରୀ

ଜୀବନରେ ଖେଳାଇବା ପାଇଁ ସମସ୍ତଙ୍କରି

କରୁଥିଲ ସଦା ସାଧନା

ହେ ବିକ୍ରମ ! ହେ ଦେବ ! ହେ ବର୍ମା !

ହେ ମହାରାଜ ! ହେ ସାତ୍ତ୍ୱିକ ! ଋତ୍ୱିକ !

ଘେନ ଅଞ୍ଜଳି ଭରା ପ୍ରେମ ଭକତି ମୋର

ଆକାଶର ବ୍ୟାପ୍ତି ତୁମରି ଅନ୍ତରେ ରହିଛନ୍ତି

ବିଶ୍ୱର ମହାନତା, ତୁମର ଶାଳୀନତା,

ବିଶ୍ୱର ମହିମା

ତୁମରି ଜୀବନେ ସଦା ଥିଲା

ଭରା ମା ।

ପ୍ରହ୍ଲାଦ ଓ ଭଗବାନ ସମ

ତୁମେ ଥିଲ ସଦା ଭଗବଦ୍‌ ଆଶ୍ରୟୀ

ମହା ଐଶ୍ୱର୍ଯ୍ୟ ସ୍ତୁପ ଉପରି ଦିସି

ତୁମେ ଥିଲ ସାକ୍ଷାତ୍‌ ଜନକ ଋଷି ।

ସେହି ଆଦର୍ଶ ରଖି ଯାଇଅଛ

ଆମ ପାଇଁ

ଜଗତ ପାଇଁ

ରୁହ ରୁହ ଭାଇ

ଜଗତ ଜନର କର ଉପକାର ଚିର ରହି

ଦିବ୍ୟ ଭାବ ଉପୁଜେ

ସେ ସ୍ତବ୍‌ଧତାରେ

ତୁମେ ଥିଲ ହେ ରାଜନ !

ଦିବ୍ୟ ଅବଲୋକନ

ନର ନଶ୍ୱର ଶରୀର ବହ

ଯଦି କେବେ କାହା ପ୍ରାଣେ

ଦେଇଛ ଆଘାତ ଅବ ।

ସେ ତୁମର ସ୍ୱଭାବ ନୋହି

ତୁମର ସ୍ୱଭାବ ଗ୍ରୀଷମ କାଳର

ରାତ୍ର ର ମୁକ୍ତ ହାଓ୍ୟା

ତୁମର ସ୍ୱଭାବ ସାନ ବଡ଼ ଅଭେଦେ

ଅପୂର୍ବ ମଧୁରିମା

ତୁମର ସ୍ୱଭାବ ଐଶ୍ୱର୍ଯ୍ୟେ ବୈରାଗ୍ୟ

ଆଉ ବୈରାଗ୍ୟେ ପୁଣି ପ୍ରସନ୍ନତା

ଧୈର୍ଯ୍ୟ, ସ୍ଥୈର୍ଯ୍ୟ, ଶୌର୍ଯ୍ୟ, ବୀର୍ଯ୍ୟ, କାର୍ଯ୍ୟ

କିଛିରୁତ ତୁମର ହେ ଦେବ

ନ ଥିଲା ଅଭାବ

ଏକାକୀ ତଥାପି ସକଳକୁ

କରିଥିଲ ଆପଣାର

ଯଦି ବା କାହିଁ କିଛି ଅଭ୍ୟନ୍ତର

ତା ପୃଥିବୀର ନିୟମ

ନିୟମ ଧରିତ୍ରୀର

ଆସେ ଛାୟା ଫେରେ ମନୁଷ୍ୟ ହୃଦୟ

ସଂସାରର ପରସ୍ପର-କାର୍ଯ୍ୟ ପରସ୍ପର

ଖେଳଇ ମଧୁର ପବନ

ବହଇ ମଧୁର ବଚନ

ହେ ଦେବ ! ମଧୁର ତୁମର କର୍ତ୍ତବ୍ୟ

ମଧୁର ତୁମର ଜୀବନ

ମଧୁର ମୋର ସ୍ୱପନ

ତୁମର ମୋର ଭେଟ ବାଟ ବାଟ ବାଟ

ସେହି ସପନ ସ୍ଥାନ

ଅତି ଗୋପନ ।

ନିବିଡ଼ ପୁଣି ଅତି

ହେ ଦେବତା ! ତହିଁ ମହାପ୍ରୀତି !

ଯାଇଛ ଚାଲି

ଭାବିବାର ଅବସର ପାଇ ନ ଥିଲି

ଆଜି ଏତିକିରେ ଏହି ଅର୍ଘ୍ୟ

ରଜନୀ ଗନ୍ଧାର ଗନ୍ଧ ସଙ୍ଗେ ମହାର୍ଦ

ବିଦ୍ୱଜ୍ଜନ ମଣ୍ଡଳୀ

ବସି ରହନ୍ତି ଝୁରି

ଦୀନ ଦୁଃଖୀ ଦୁଃସ୍ଥ ଆଜି ମୂକ

ତୁମ ବିନା ଆଜି ରାଜବାଟୀ

ହୀନ ମୟୂଖ, ରାତିର ବିସ୍ତାର ଭିତରେ

ଡାକଇ କୁକୁର

କର୍ତ୍ତବ୍ୟର କଠୋରତା ତାକୁ କରେ

ସଦା ଉଦ୍‌ଗାର ।

ଖୋଜେଁ ଦେବ ଆଜି ପ୍ରଭାତର କାକଳୀରେ

ଗଲ କାହିଁ ?

ଅଛତ ଅନ୍ତରେ

ଦେଖୁଛିତ ମୁହିଁ ଏହି

ଶିଶୁଟିଏ ଯେପରି ଶୋଇଛି ଆରାମେ

ଶୋଇଛ ତୁମେ ଦେବ

ଯେହ୍ନେ ବିରାମେ

ଆଉ ପୁର୍ଣ୍ଣ ହେଲେ ନିଦ

ପୁଣି ହସି ଉଠିଲ ହେ ଦେବ ।

ପବନର ଶୀତଳ କର

ରାତ୍ରି ସାରା ଗ୍ରୀଷ୍ମର ରଜନୀରେ

ପ୍ରସରିଛି ମୋ ଉପର

ତୁମେ ତ ଦେବ ଅଛ ତହିଁରେ

ବୃକ୍ଷ ସମ ସ୍ଥିର

ବୃକ୍ଷ ସମ ସେବିଛ

ସେବା କରି ଏ ଧରା ଜନର

ବୃକ୍ଷ ସମ ତୁମେ ସହିଛ

ସବୁ କଥା

ଆଜି ଏଡ଼ି ସବୁ ଅନ୍ତର ବ୍ୟଥା ।

ରହିଛ ଧରଣୀର ସେ ପାର

ଆମେ ସବୁ ହେ ଦେବ

ଯେ ତୁମର ଏଡ଼େ ଆଦରର

ସବୁ ଆମେ ଭାଳୁଛୁଁ ବସି

ଆକାଶ ଶଶୀ

ତୁମେ ଅଛ ତହିଁ ପାସେ ବସି

ଝିଂଝିଟର ଶବଦ କାନେ ପଶେ ଏବେ

ଡାହୁକର ନିଃସ୍ୱନ

କାକ କୋକିଳର ତୌର୍ଯ୍ୟତ୍ରିକ

ଦେବତା ଆରାଧନ

ସବୁରି ଭିତରେ ଅଛ ହେ ଦେବ

ତୁମେ ବିକ୍ରମ

କିଏ ଆଉ ତୁମ ସମ

ଦମ ଦାନ ଶମ ଜ୍ଞାନ

ଗୁଣେ ଭରା ଏତେ କୁହ

ତୁମକୁ ଆଜି ଦେଖୁଛି ମୁହିଁ

ପ୍ରକୃତିର ସବୁ ଶୋଭନ

ରୂପରେ ରହ

ଲଭି ଯାଇଅଛି ତାରକା

ଲିଭି ଯାଇଅଛ ତେଣୁ

ତୁମେ ବି ସେପରି

ମାତ୍ର ଅଛଇତ ତାରକା

ଦେଖା ହେବ ନିତି ସନ୍ଧ୍ୟା ମୁଖେ

ସାରା ରାତ୍ରି ବାହ

ତୁମେ ହେ ଦେବ ! ଅଛ

ତେହ୍ନେ ଲୁଚି ରହ

ଅଛ ତୁମେ-ତେଣୁ ଆଶୀର୍ବାଦ

ଭିକ୍ଷା କରେଁ

ଅଛ ତୁମେ ଡାହୁକ କହେ

ତାର ନିଃସ୍ୱନେ

ଅଛ ତୁମେ କହେ ନାନା କାକଳୀ

ଅଛ ତୁମେ ସାତ ଭାୟା

ପକ୍ଷୀ ସେ ବାର୍ତ୍ତା

କହେ ଆଣି

ଅଛ ତୁମେ ଅଛ ତୁମେ

କୁକୁଟର ରାବ ଦିଏ ଚେତାଇ

ଅଛ ହେ ଦେବ-ବିକ୍ରମ ଦେବ

ଯାଇଛ କାହିଁ ?

ଯାଇଛ କେବଳ ଅନ୍ତରାଳେ

ମାତ୍ର ଅଛ ତୁମେ

ଅଛ ତୁମେ

ତୁମକୁ ଭାଳିଲେ ଆମର

ଦୁଃଖ ଯିବ ଚାଲି

ତୁମକୁ ଭାଳିଲେ

ଜୀବନ ନୋହିବ ଖାଲି

ତୁମକୁ ଭାଳିଲେ ହେ ଦେବ

ରାଜର୍ଷି

ରାଜ ପ୍ରାସାଦର ଆବରଣୁ

ଆଜି ଦେଇଛ ଆପଣାରେ

ସର୍ବତ୍ର ମେଲାଇ ରହିଛ ବସି

କେତେ ଫୁଲ ଫୁଟେ

କେତେ ମଧୁ ଛୁଟେ

ଭ୍ରମର କେତେ ମଧୁ ଲୁଟେ

ତୁମେ ଅଛ ତୁମେ ଅଛ

ହେ ଦେବ ରାଜନ

ନୁହେଁ ମୁଁ ଅଭାଗୀ ଜନ

ଆଶୀର୍ବାଦ ଏବେ ସ୍ୱର୍ଗ ପୁରୁଁ

ଆଣିବ ବହନ

ନନ୍ଦନ କାନନର ପାରିଜାତ ବହି

ଦେବ ତୁମେ ପୁଣି ଆମକୁ ଦେଇ

ଯାଇଛ ସେଥିପାଇଁ

ଆଜି ପ୍ରଭାତର ତେଣୁ ଏ ନମସ୍କାର

ଅପୂର୍ବ ଦେଖା ଏହି ।

ଶିଶୁ ସମ ଶୋଇଛ ଆରାମେ ଦେବ

ରଜନୀ ସାରା

ହସି ହସି ଉଠିଛ କେବେ

ତାରାର ମୁଖେ

ଡାକି ଡାକି କହିଛ କଥା

କେବେ ବିହଗ

ଉଡ଼ିଯାଏ ଯେବେ

ରଜନୀ ସାଥେ

ବୃକ୍ଷ ସମ ସ୍ଥିର ତୁମେ ହେ ଦେବ ରାଜଷ

ଆଜି କାଳ ପର ପାରେ

ରହିଛୁ ଅପେକ୍ଷି

ଅମରେ କରିବ ଆଶୀର୍ବାଦ

ଦେଖି ଦେଖି

ସଂସାରର କର୍ମ ଅକର୍ମ

ସବୁ ଦେଇଛ ଏବେ ଏଡ଼ାଇ

ରହିଛ ସାତ୍ତ୍ୱିକ ହେବ ଋଷି

ଦିଶି ଦିଶି ତେଣୁ ଦେଖେଁ ମୁଁ

ତୁମକୁ ବିହସି ।

କେତେ ଧୁଳି ଉଠଇ ଏଥି ଅହରହ

ତାହାରି ଭିତରେ ତୁମେ ରହିଛ

ହେ ଦେବ

ନାହିଁ ବିରହ

ଶୋଇଛ ଯେହ୍ନେ ଶିଶୁଟି ପରି

ଉଠିବ ଏବେ କ୍ଲାନ୍ତି ସାରି

ଧାଇଁ ବୁଲିବ ଚତୁର୍ଦ୍ଦିଗ

ତାହାରି ଭିତରେ ପାଇବି

ସନ୍ଧାନ ତୁମର ହେ ଦେବ

ଉଡ଼ିଯାଏ ବିହଗ କାକଳୀ କରି

ତାହାରି ଭିତରେ ସନ୍ଧାନ

ପାଏଁ ତୁମରି

ମହାଯଜ୍ଞର ଋତ୍ୱିକ ତୁମେ

ଯିବ କାହିଁ-

ଅଛ ତୁମେ, ଏହି ଏହି

କୋକିଳର କଣ୍ଠେ ଗାଇଛ ତୁମେ

କୁଉ କୁଉ କୁଉ

ସମୀର ପରଶେ ଦୋହଲି ତୁମେ

ଧୀରେ ଦୋହଲାଉଛ ବୃକ୍ଷର ଶୀର୍ଷ

ଚାରିଆଡ଼େ-ଯହିଁ ଅନାଏ ତହିଁ

ତୁମେ ଅଛ-ଯାଉଛ କାକର ବାର୍ତ୍ତା ବହି

ସନ୍ତରଣ ଯେହ୍ନେ ଆକାଶେ

ପକ୍ଷୀର ସ୍ୱଚ୍ଛନ୍ଦ ବିକାଶେ

ସନ୍ତରଣ ଯେହ୍ନେ ଅବଗାହୁଛ

ପ୍ରକୃତିର ଶୀତଳ ସମୀରଣ

କ୍ଲାନ୍ତି ପରେ ସୁପ୍ତି ଯେହ୍ନେ

ଦୂରେ-ହେଇ ଦୂରେ

ଅନାଏ ଯେ

ଦିଗ୍‌ବଳୟ ପାରେ

ରହିଛ ଉଭା ତୁମେ ହେ

ନଗ ପୁଙ୍ଗବ

କେତେ ମଧୁରେ

ଜୟ ବିକ୍ରମ ଦେବ

ଜୟ ବିକ୍ରମ ଦେବ

ଜୀବନେ ଯେସନ

ମରଣେ ତେହ୍ନେ

ଉଡ଼ି ଉଡ଼ି ଯାଏ ବିହଗ

ଉଡ଼ି ଉଡ଼ି ଯାଉଛ ତୁମେ

ହେ ବିକ୍ରମ ଦେବ

ଜୀବନ ସାଗର ସନ୍ତରଣ କରି ଯାଇଛ

ତୁମେ ହେ କୁଶଳୀ

ଏବେ ବି ଚାଲିଛ ଅନ୍ତ ପଥେ

ଧୀରେ ଧୀରେ ବାହ

ନୁହ ବିକଳ

ଗନ୍ତବ୍ୟ ପଥ ବାହି ଚାଲିଛ ତୁମେ

ହେ ଜୀବନ ଦେବତା

କର୍ତ୍ତବ୍ୟ କରି କରି

କି ନିଷ୍ଠା କି ଭକ୍ତି

ଗଙ୍ଗା ଯମୁନାର ମିଳନର ଯହିଁ

ଆରାଧ୍ୟ ଦେବତା ଆଉ ଆରାଧକ

ଏକତ୍ର ତହି

କୁସୁମ ଫୁଟେ କାନନରେ କାନନେ

ଫଳଇ ଫଳ ନାନା

କେତେ

କାହାର ଆଶୀର୍ବାଦ ସେ

ସେହିତ ସେହି ବିକ୍ରମ ଦେବ ଅଛନ୍ତି ତହିଁ

ଆଜି ବସି ଭାବୁଛି ମୁହିଁ

ଏକହୋଇ ଯିବୁଁ ଦିନେ

ସେ ଆଉ ମୁହିଁ

ବ୍ୟବଧାନ ତହିଁ ଆଉ

ରହିବ ନାହିଁ

ବୃକ୍ଷର ଉପରେ ବିହଗଟିଏ

ଏ ଶରୀର ଭିତରେ ସେହି ପରିଟି ଦେ

ଯାଇଛି ବୃକ୍ଷ ଫଳ ଦେଇ ଦେଇ

ଯାଇଛି ବିହଗ ଏ ଦେହ ଛାଡ଼ି ଭାଇ

ଆପଣା କର୍ତ୍ତବ୍ୟ ସାରି

ଯାଇଛି ସେ ଚାଲି-କିଛି ଦୁଃଖ ନାହିଁ ।

ଏତିକି । ତାଙ୍କ ପରି ମୁହିଁ

ଯଦି ହେବି ଭାଇ

ବ୍ୟଥାର ବ୍ୟଥୀ, ସାଥୀର ସାଥୀ,

ମଧୁର ଆଳାପୀ,

କିଛି ହେଲେ ତ ତାଙ୍କରି ପରି

ହେବି ମୁହିଁ

ଦେଶ ଦେଶାନ୍ତର ବିତରି ମୋର

କରୁଣା ସ୍ନେହ ମାୟା ମମତା ଆବର

ଫେରିବ ସକଳ ଆପଣାର ବୁକେ

ଆପଣା କର ତହିଁ ।

ସର୍ବେ ଯିବେ ଚାଲି

ନିଜ କର୍ମ ସାରି

ଏହି ଭବ ରଙ୍ଗ ଭୂମି ତଳେ

ବିକ୍ରମଙ୍କ ପରି ମହତ ହୋଇ

ଜୀବନ ନୌକାରେ ଯେହ୍ନେ

ହୋଇ ପାରେଁ ପାରି

ଶିଶୁଟି ଯେହ୍ନେ ବୃଦ୍ଧଟି ତେହ୍ନେ

ତାଙ୍କ ମୁଖରେ ପାଇଥିଲା ଆଦର ଯେହ୍ନେ

ସେହି ଆଦର ଦେଇ ଯେହ୍ନେ

ଜଗତ ଜନେ

ମୁଁ ପାରିବି ସକଳ ଜନେ

ଆପଣାର କରି ।

ଫୁଟେ କୁସୁମ

ବାସ ଦେଇ ଦେଇ

ଝରେ ତହିଁ ।

ଝରି ଯାଇଛ ହେ ବିକ୍ରମ ଦେବ

ଦୁଃଖ ନାହିଁ-

କେବଳ ଅଛଇ

ଶାନ୍ତି ତହିଁ ।

ହେ ଧୀବର ! ଧୀବର ଯେହ୍ନେ ଧରଇ

ମୀନ

ନାନା କୈାଶଳେ, ପ୍ରଭୁ

ସେହି ପ୍ରାୟ ତୁମେ କରୁଥିଲ

ଜ୍ଞାନ ଆହରଣ

ନିତି ନିତି ନିତି ସକଳ ଜ୍ଞାନୀ ସୁଜ୍ଞ

ସାଧୁ ଜନ ଠାରୁ

ହେ ବିକ୍ରମ ! ଚନ୍ଦ୍ର ର ଶାନ୍ତ କୋମଳ

ସ୍ନିଗ୍ଧ କିରଣ

ସକଳେ ହ୍ଲାଦି କରଇ ଯେସନ

ସକଳେ ସୁପ୍ରସନ୍ନ

ତୁମେ ତ ସେହିପରି ହେ ରାଜନ

ଥିଲ ଜଗତ ଜନର ହ୍ଲାଦ କାରଣ

ଆଜି ଯାଇଛି ବିତି ସବୁ

ଅତୀତର ପୂର୍ବର

ଯୈାବନର କେତେ ଦୁଃଖ ରେଖା

ରେଖା ନୁହେଁ ରକ୍ତ ଦାଗ

ସବୁ ସହିଥିଲ ତୁମେ ହେ ଦେବ

ଅତି ଶାନ୍ତ ପଣେ

ଏହାହିଁ ତ ତୁମରି କୀର୍ତ୍ତି

ଘୋଷୁଛି ଆଜି

ଯାଇଛ ଯେବେ ଚାଲି

ଏହାଇତ ତୁମର ଘୋଷିବ କୀର୍ତ୍ତି

ଚିରକାଳ

ଜୟପୁର ରାଜ୍ୟେ

ଥିଲେ ଏକ ବୃଦ୍ଧ

ବର୍ଷୀୟାନ ସେ

ଅତି ପ୍ରାଚୀନ ହେଲେ ମଧ୍ୟ

ସକଳ ସାଥେ ସରଳ

ଶିଶୁ ସମ ସେ ଯେ

ଅତି ଉଦାର ବିଳାସିତା ହୀନ ପୁଣି

ଜଗତ ଜନ ବରେଣ୍ୟ

ନାହିଁ ଅଭିମାନ, ନାହିଁ ଅହଂକାର

ସକଳର ପାପ ପୁଣ୍ୟ

ଦେଖି ପୁଣି ସ୍ଥିର

ହେ ଶିଳ୍ପୀ ! ରଚୁଥିଲ

ଆପଣା ଶିଳ୍ପ ରାତ୍ରି ଦିନ

ନିରଳସ ଅନଳସ ହୋଇ

ସେବୁଥିଲ ଓଡ଼ିଆ ତଥା ତେଲୁଗୁ

ସାହିତ୍ୟ

ପୁଣି ସଂସ୍କୃତ ଇଂରାଜୀ ମଧ୍ୟ ଛାଡ଼ ନାହିଁ

ଏହି ପରି ତୁମେ ହେ ଦେବତା

ମାନବ ମଧ୍ୟରେ ଦେବତା ପରି

କରିଲ ଆଚରଣ

ସମସ୍ତେ ହୋଇଥିଲେ ମୁଗ୍ଧ ଶାନ୍ତ ସମାହିତ

ଦେଖି ତୁମ ରୂପ ବସି ତୁମ ପାଖ,

ପାଇ ତୁମ ଆଶୀର୍ବାଦ, ଆଉ

ଦେଖି ତୁମ ଦାନ ହସ୍ତ

ଶିଳ୍ପୀ ! ତୁମେ ରଚିଛ ତୁମ ରଚନାଳି

ପଢ଼ିବୁଁ ଆମେ ଅନେକ ଦିନ

ସେହି ଭାବନା ବଳି ।

ହେଲେହେଁ ସରଳ ବା ଜଟିଳ

ସବୁତ ଭାବ ଗର୍ଭକ

ରସ ରସାଣିତ କେହି

କେହି ଅବା ଅତି ସାଧାରଣ ହୋଇ

ରହିଛି ତୁମ ଲେଖାରେ ।

ହେବ ଅନେକଙ୍କ ଦେଖାରେ

ଯୁଗଳ ରସାମୃତ ଲହରୀ ପୁଣି

ତୁମ ଅନ୍ତିମ ଜୀବନକୁ

କରିଥିଲ ସାର

ପ୍ରିତି ପସରା ତୁମକୁ ଥିଲା ଜଣା

ହେ ରାଜର୍ଷି ! ଯେତେ ଭାବେ

ହୁଏ ବୁଦ୍ଧି ବଣା

ତୁମ ଆଦର୍ଶ ଆମେ ଆଚରିବୁଁ

କିପରି

ଯାହା ତୁମର ସ୍ୱଭାବ ସିଦ୍ଧ

ତାହା ଆମର ସାଧନା ସିଦ୍ଧ ହେବାକୁ

ଆହୁରି

ଲାଗିବ ଯେ କେତେକାଳ

କେତେ ଜୀବନ କିଏ କହିପାରେ ତାହା

ହେ ଭବ୍ୟ ! ସଭ୍ୟ ! ସାଧୁ ପ୍ରକୃତି ତୁମର

ସକଳର ସେବ୍ୟ-ଅତି ମଧୁର, ମଧୁର

ଜଗତ ସଭାରେ ସକଳ ସାଥିରେ

ତୁମେ ଥିଲ ସାଧୁ ସୁନ୍ଦର

ତୁମରି ସ୍ନିଗ୍ଧ ବ୍ୟବହାର

ସମସ୍ତକୁ କରିଥିଲା ମୁଗ୍ଧ ଅପାର

ଆଜି ବିଧୁର ବେଦନା ଆମ

ହୃଦ

ଶୋକାକୁଳ ହୁଏ, ହୁଏ ଅଧୀର

ବେଦ

ଯାଇଛ ଚାଲି-ତେଣୁ ଭାବୁଛୁଁ ଖାଲି

ଏପରି ରାଜନ, ଏପରି ଭାଜନ

ହେବାକୁ ଅଛନ୍ତି କେତେ ଜନ ?

ନାହିଁ ଗର୍ବ ଅଭିମାନ

ଚିର ସାଧୁ ସମାନ

ନାହିଁ ବିଳାସ ବ୍ୟସନ

ଅତି ଅତି ସାଧାରଣ

ବିନ୍ତ୍ରମ ଦେବ ତୁମେ ରାଜନ

ଆଜି ହୃଦ ସିଂହାସନେ

ତୁମେ ଆମର ରାଜା

ଆମେ ଦେଖିବୁଁ ବସି ତାହା

ଭାବିବୁଁ ବସି

କହିବୁଁ ବିକ୍ରମ ଦେବ ଥିଲେ

ସାଧୁ ସୁଜନ

ଜଗତର ଆଦରର ଧନ

ସମସ୍ତଙ୍କୁ ଦେଇଥିଲେ ସେ ସମ୍ମାନ

ତେଣୁ ଅଯାଚିତେ ପାଇଥିଲେ ସେ ସେହି ସମ୍ମାନ

ହେ ରାଜ ଶିଳ୍ପୀ ! ତୁଳୀ ତଳ୍ପ ତ୍ୟଜି

କରୁଥିଲ ରଚନା କାବ୍ୟ କବିତା

ଦିବସ ନିଶି ଭାବି

ଧନ୍ୟ ତୁମେ ! ଧନ୍ୟ ଆମେ

ତୁମକୁ ପାଇ

ଆଜି ଯାଇଛ ଅପସରି

ମାତ୍ର ମଧୁର ବାଜଇ ମହୁରି

ବେଦନାପ୍ଳୁତ ହୋଇ

ବିକ୍ରମ ରାଜନ ଥିଲେ ଶୋଭନ ସାତ୍ତ୍ୱିକ ସତ୍ତା ବହି ।

ଗ୍ରୀଷ୍ମର ପ୍ରଚଣ୍ଡ ଉତ୍ତାପେ

ତୁମେ ହେ ବିକ୍ରମ ଶୀତଳ ଅନିଳ

ବୃକ୍ଷର ଡାଳେ ପକ୍ଷୀର ବାସ

କେବେ କେବେ ସେ ଆସେ କରିବାକୁ ଗୃହବାସ

ଘର ଚଟିଆ ପକ୍ଷୀ ସମ ଚଞ୍ଚଳ ଚଟୁଳ

ତୁମେ ହେ ରାଜର୍ଷି ! ଥିଲ ତେସନ ସନ୍ୟାସୀ

ଚାଲିଗଲ ଆପଣା ବସା ଛାଡ଼ି ହସିହସି

ନୋହି ନିର୍ମମ, ନୋହି ଦୁଃଖୀ, କାତରେ ନବସି

ଆପଣାର କାର୍ଯ୍ୟ ସାଧିଲ ତୁମେ

ଆପଣାର ପଥେ ରହି

ଅନ୍ୟ ସକଳେ ଆପଣାର ଅମୁଲ୍ୟ

ବିତରଣ ଦେଇ

ଘଡ଼ିର କଣ୍ଟା ସ୍ଥବିର ହେଲା ପରି

ଗ୍ରୀଷ୍ମରେ ଯେହ୍ନେ ମାନବର ନିଦ୍ରା ନାହିଁ

ତୁମେ ସେହିପରି ରହିଥିଲ-ରହିଥିଲ,

ଚାଲିଗଲ ଅବଶେଷେ

କାହାକୁ କିଛି ନ କହି

କି ଶାନ୍ତି ! କି ସୁଧା ! ପାଇଥିଲ

ଜୀବନେ ଆସ୍ୱାଦ ତାର

ତେଣୁ ଏଡ଼େ ଅନାଶକ୍ତ ଭାବେ

ଛାଡ଼ି ଚାଲିଗଲ ସବୁ କାରବାର

ଯାଇଛ ତୁମେ ବିକ୍ରମ-ମାତ୍ର

ଶୀତଳ ଅନିଳ ବହେ ଯେ କ୍ଷଣ

ଶରୀର ମନ କରେ ସୁଶୀତଳ

ତୁମେ ଥାଅ ମଧ୍ୟେ ତହିଁ

ଏହି ଭାବନା ମୋର ମନେ ଆସଇ

ଆଜି ବୈଶାଖର ଏହି ରୁଦ୍ର ତାପେ

ଶରୀର ଯେବେ ଅବସନ୍ନ ଦହ ହୁଏ କେତେ

ଦେଖି ଯାଇଅଛ ସବୁ ନିଜେ ଚକ୍ଷୁରେ

କେତେ ଆତ୍ମୀୟର, ଆପଣା ଜନର

କେତେ କାରବାର ଆପଣା ଦୁଃଖରେ

ସକଳେ କ୍ଷମିଛ କାହାର ପ୍ରତି ନୋହି ରୁଷ୍ଟ

ରୁଷ୍ଟ ଅବା କେବେ ମାତ୍ର ତୁଷ୍ଟ ସମ

ତା ସଙ୍ଗେ ବରାବର କଥା କହିଛ

ଏପରି ସାଧୁ ଉଦାର ବ୍ୟବହାର

କିଏ ଭୁଲିବ ଏହି ଜଗତେ

ଯାର ଏତେ ଅଭାବ ?

ଆସିବ ଗ୍ରୀଷ୍ମ ଅନ୍ତେ ବରଷାର

ଶୀତଳ ଧାର

ତୁମେ ହେ ରାଜନ ! ସେହି ବାରି ଧାରା ସମ

କରିଛ ତାପିତ କେତେ ଶୀତଳ ଚିତ୍ତ

ତୁମେଇ ଜାଣ

ତୁମ ଠାରୁ ଜାଣେ ଅତି ନିବିଡ଼େ

ସେହି ନ ଯେ ପାଇଛି ତୁମଠୁଁ ଉପକାର

ଶରତର କାଶ ହାସ ମଧ୍ୟେ

ତୁମେ ହେ ରାଜନ ହସିଛ ମଧୁର ହାସ

ତୋଷିଛ ମାନବ କେତେ

ଜାଣନ୍ତି ସେହିମାନେ

କେତେ ନିଃସହାୟୀ ସ୍ତ୍ରୀ ପୁରୁଷ

ବାଳକ ବାଳିକା ମାନେ

ସକଳ ପାଇଁ ଲକ୍ଷ୍ୟ ଥିଲା ତୁମ୍ଭର

ଉଚ୍ଚ ଠାରୁ ତୁଚ୍ଛ ସକଳେ

ଲଭିଥିଲେ

ତବ ହସ୍ତୁଁ ଆଶୀର୍ବାଦ ଅପାର

ଆଜି ବିଶାଳ ବିଶ୍ୱେ ଯାଇଛ ଉଭି

ବିଶାଳ ବିଶ୍ୱର ଅଙ୍ଗେ ଅଙ୍ଗେ ଲିଭି

ବିଶାଳତା ଲଭିଅଛ ତୁମ୍ଭେ

ଶିଶୁର କୋମଳ କଣ୍ଠ ଯେବେ

ଅସହାୟ । ନାରୀର ବେଦନା ରୋଧିତ ବାକ୍ୟ

ଦୀନ ଦୁଃଖୀ ସହସ୍ର ସହସ୍ରଙ୍କର

ତୁମେ ଥିଲ ହେ ବର୍ଷୀୟାନ ।

ଆଶା, ଆନନ୍ଦ, ସ୍ୱରୂପ ଈଶ୍ୱର

କିଏ ଭୁଲିବ ? ଭୁଲିବ କି ସେହି

ପାଇଥିଲା ଯିଏ ଆଶ୍ୱାସ ସନ୍ତୋଷ

ତବ ଠାରେ ଠାବ ପାଇ ?

ଅସମ୍ଭବ ! ଆଜି ତୁମେ ଯାଇଛି ଚାଲି

ଚଟୁଳ ପକ୍ଷୀର ପଳାୟନ ପରି

ଧନ୍ୟ କରି ଆପଣା ଜୀବନ

ଧନ୍ୟ କରି ଅସଂଖ୍ୟ ନର ନାରୀ ପ୍ରାଣ

ତେଣୁ ମୋର ଏହି କ୍ଷୁଦ୍ର ଭାବନା

ଉବ୍ଦେଳ

ହୋଇଛି ତୁମରି ପାଇଁ-

ମୁଁ ନୁହେଁ ମୋହା କୁଳ

ତୁମେ ତ ଦେଖାଇ ଯାଇଛ

ଯାପିବାକୁ ଅନାଶକ୍ତ ଜୀବନ

କାହିଁକି ରହିବି ମୁହିଁ ହୋଇ ମୋହକଳିଳ ?

ସଙ୍ଗୀତ ସାହିତ୍ୟ ମଧୁ ସୁଧାକର

ଚନ୍ଦନ ଠାରୁ ବଳି ଗ୍ରୀଷମରେ

ହୃଦବୋଧ କର

ଥିଲା ତୁମ ଜୀବନର ମୂଳ ପ୍ରସ୍ରବଣ

ସଙ୍ଗୀତ ସାହିତ୍ୟକୁ କରି ସଙ୍ଗୀ

ଚିର ଜୀବନ

ତୁମେ ଥିଲ ହେ ଦେବ ସକଳର ଅଙ୍ଗୀ

ବ୍ୟଥାର ବ୍ୟଥୀ, ଦୀନ ଦରିଦ୍ରର ସଙ୍ଗୀ

ତେଣୁ ଆଜି ଆକାଶର ରାତିର

ମଧୁର ବିତାନେ

ସ୍ମରୁଛି, ଦେଖୁଛି, ତୁମକୁ ହେ ରାଜନ

ମନେ ମନେ

ମିଳି ଯାଇଅଛି ରଜନୀ ଗନ୍ଧାର

ଗନ୍ଧ ସମ

ପବନେ ବହି

ଯାଇଅଛ କିନ୍ତୁ ଯେଉଁ ମଧୁର

ସୁଗନ୍ଧ ଦେଇ

ତାହାର ସ୍ମୃତି କରଇ ଆକୁଳ

ଆଉ କାହିଁ ପାଇବି ମୁହିଁ ପୁଣି ଥଳ କୂଳ

ଆଉ ଜଣେ ଏହିପରି

ଏହି ମହୀ ଉପରି

କାହିଁ ଅଛନ୍ତି ପାଇବି

କିପରି ତାହାର ସନ୍ଧାନ

ବିକ୍ରମ ଦେବ ପରି ମନୁଷ୍ୟ

ଆଉ ଜଣେ ତେଣୁ ଖୋଜେଁ

ମୁଁ ହୋଇ ବ୍ୟସ୍ତ ମନ

ସକଳ ଭିତରେ ଦେଇଛ ବିତରି

ତୁମେ ହେ ରାଜର୍ଷି ଆପଣାକୁ

ଭସ୍ମ ଯେବେ ହୋଇଗଲା ନଶ୍ୱର

ଶରୀର ତେବେ କୁହୁଳି କୁହୁଳି

ଗଗନ ମାର୍ଗରେ ଉଠିଲା ଯେଉଁ କୁହେଳି

ଲକ୍ଷ୍ୟ କରି ସହସ୍ର ମାନବ କହିଥିଲେ

ହାୟ ହାୟ ବୋଲି

ଦେଇଥିଲେ ଢାଳି ଅଶ୍ରୁ ସେହି

ଚିତାକୁ ଚାହିଁ

ଧନ୍ୟ ତୁମେ ହେ ବିକ୍ରମ ଦେବ

ଧନ୍ୟ କହୁଛି ମହୀ ।

ହେ ଦୂର ଗଗନର ସୁଦୂର ତାରା, ବିକ୍ରମ ଦେବ ପରା,

ମିଞ୍ଜି ମିଞ୍ଜି କରି ଦେଖା ଦିଅ ଆଜି ଉଚ୍ଚେ,

ପାରି ହୋଇ କି ବିରାଟ କାରା

ପାଶର ଆଲୋକ ଦୀପ୍ତି ଅଣେ ପାଶେ,

ଦୂରର ତାରକା ଦୂରୁ ବିକାଶେ,

ଭୁବନ ଭରି ବତାସ ବହେ ଶିରି ଶିରି,

ରାତି ଅଧରେ ଚାହିଁଛନ୍ତି କେତେ

ବିରାଟର ଅନ୍ତରୁ ନିଶାର ନିଃସ୍ୱନ ଭରି ରହିଛି ଜାଣ,

ଅପ୍‌ସରୀ,

ମୁଁ ଏକାକୀ ଚେତନା ଦୀପ୍ତ ଅଛି କି ?

ଅଛନ୍ତି ଏହିପରି ଆଉ ଆଉ,

ଶ୍ୱାନ କାହିଁ କାହିଁ ଚିତ୍କାରେ ରହି,

ଭରି ରହିଛି, ଝିଂ ଝିଂ ଟର ଶବଦ କାହି

ଅନ୍ତରୁ ଅନ୍ତରେ ପ୍ରବେଶ ପ୍ରବେଶ ହେ ବିକ୍ରମ ଦେବ

ଆଜି ଅନ୍ତରୁ ଯାଇଛ ପଳାଇ

ଶୂନ୍ୟତା ଆସେ, ବ୍ୟର୍ଥତା ଭାସେ, ମନ ତେଣୁ ନୀରସେ,

କହେ କାହିଁ କାହିଁ ?

ନାହିଁ, ନିଦ୍ରା, ଶରୀର କାରା, ଦିଏ ନାହିଁ ଥୟ କରଇ ଅଥୟ

ଖାଲି ଭାବେ କାହିଁ କାହିଁ ?

ଆଶା ନିରାଶାର ଦୋଳାର ଭିତରେ ଶବଦ ଆସେ ହେଇ ହେଇ,

ନାହିଁ ନାହିଁ,

କି କହିବି କାହାକୁ, ମିଳିଯାଏ ମର ଦେହ ମରକୁ, ଅମର ଯାହା,

ଚାଲିଯାଏ ଅମରେ ମିଶି,

ତେଣୁ ଛୁଏଁ ଛୁଏଁ ପରି ମନେହୁଏ, ଆଉ ଛୁଇଁ ପାରେ ନାହିଁ

ପୁଣିଛୁଏଁ ଅତି ଆଚମ୍ବିତେ, ଶୀତଳ ପବନର ହିଲ୍ଲୋଳେ

ବହି ଆସେ ସୁଦୂରୁ, ବିକ୍ରମ ଦେବ ନିକଟେ ଭାସେ, ଅଛନ୍ତି ଏହା

 

ଶୋଇବି ଯାଉଛି ତେବେ ଏବେ ନିଶ୍ଚିନ୍ତ ହୋଇ-

ବିକ୍ରମ ଦେବ ଅଛନ୍ତି ଭାଇ

ଘୋର ଜଙ୍ଗଲ ନିଶାରେ ଘୋରେ ବୁଲଇ ଯହିଁ ବଣର ରାଜା

ବିକ୍ରମ ଦେବଙ୍କୁ ପାଇବା ପାଇଁ

ଖୋଜନ୍ତି ତେସନେ ଅସଂଖ୍ୟ କାନନେ ଅସଂଖ୍ୟ ପଶୁ ପକ୍ଷୀ ଗଣ

ଖୋଜନ୍ତି ବିକ୍ରମ ଦେବ ହେ ରାଜନ

କାହିଁଗଲ ଲୁଚି ରହିଲ ବନ ଉହାଡ଼ ?

ମନ ପୋଡ଼ିଯାଏ, ଦେହ ଦହଯାଏ, ଖାଲି ଚିତ୍କାର

ବିକ୍ରମ ଦେବଙ୍କୁ ଆଣ ।

ଲୁଚି ରହିଛନ୍ତି କୁହ ଯା କୁହ ଅଛନ୍ତି

ଏବେ ସେ କେଉଁ ବନ ପାହାଡ଼ ।

ହେଲ ହେ ବିକ୍ରମ ଦେବ ବନ ଉହାଡ଼,

ହୋଇ ପାରିବ କି ଆମ ମନ ଉହାଡ଼ ?

ଲୁଚକାଳି ଖେଳ ପରି ହୋଇଲା ଏବକୁ,

ମନରେ ଧରା, ଦେହରେ ଧରା ନ ଦେଇ

ଶାଶ୍ୱତର ଜିନିଷ ସିନା ଶାଶ୍ୱତେ ଏପରି ମିଳଇ

ସତ୍ୟ ତେବେ ଏହି କଥା, ଆଶାଶ୍ୱତେ ଖୋଜି

ଏବେ କେହି ନ ରଖଇ ।

ନ ମଜ୍ଜି ସତ୍ୟ ସଦା ଖୋଜ ଭାଇ

ସତ୍ୟ ଯେ ଶାଶ୍ୱତ ସେ ଏହି କଥା

ଏବେ ମର୍ମେ ମର୍ମେ ବୋଧ ହୁଅଇ ।

ନିଃଶ୍ୱାସ ପ୍ରଶ୍ୱାସ ଚାଲିଛି ଅବିରାମ-ମାନବର ନିଶ୍ୱାସ ପ୍ରଶ୍ୱାସ

କମିଯାଏ ଯେବେ-କମେ ନାହିଁ ସେ-

ମିଶିଯାଏ ବିଶ୍ୱର ନିଶ୍ୱାସ ସଙ୍ଗେ ।

ଆଜି ବିକ୍ରମ ଦେବ ବିଶ୍ୱାସ କର ବିଶ୍ୱର

ନିଶ୍ୱାସ ସଙ୍ଗେ ରହିଛନ୍ତି ଏକ ହୋଇ

ତହୁଁ ସେ କରିବେ ଆମକୁ ଆଶ୍ୱାସ

ଆପଣାର ବିଶ୍ୱାସ ଆଶୀର୍ବାଦ ଦେଇ

ବିଶ୍ୱର ତରଙ୍ଗେ ନାଚଇ ନାହିଁ ମାନବ ଭାଇ

ଏପରି ହୋଇ ମହାରଙ୍ଗେ

ଆଜି କୋକିଳର ନିଃସ୍ୱନେ, କାକର କାଆ ସ୍ୱନେ,

ଆଜି ନାହିଁ ନାହିଁ

ଶବଦ ଯେ ପ୍ରକାର ବାଜଇ ।

ତହିଁ ମଧ୍ୟେ ବିକ୍ରମ ଦେବ ଅଛନ୍ତି ଅଛନ୍ତି କହନ୍ତି

ଯେହ୍ନେ ପ୍ରକୃତି ରାଣୀ ଆମକୁ ଆଶ୍ୱାସ ଦେଇ ।

ଧାଇଁ ଆସୁଛନ୍ତି ବେହେରାମାନେ ପାଲିଙ୍କି ବହି, ହେଇ ଶଙ୍ଖ ବାଜଇ,

ବିକ୍ରମ ଦେବ ଆସୁଛନ୍ତି ସ୍ୱର୍ଗକୁ, କେତେ

ଶଙ୍ଖ ମହୁରୀ ହେଇ ବାଜଇ

ବାଜଇ ମର୍ତ୍ତ୍ୟେ ଯେହ୍ନେ ହୁଳହୁଳୀ ନାରୀ ବୃନ୍ଦ କଣ୍ଠେ

ବାଜଇ ଯେହ୍ନେ ଅପ୍‍ସରାଗଣର କଣ୍ଠୁ

ଏହି ଶୁଣ କି ମଧୁର ନିଃସ୍ୱନ

ବିକ୍ରମ ଦେବ ବିରାଜନ୍ତି ତହିଁ ଅମରଗଣ

ଯହିଁ ରହିଥିଲେ ଅନାଇ

ଆଜି ସାର୍ଥକ ହୋଇ ତାଙ୍କ ପ୍ରତୀକ୍ଷା ମାନ,

ଆଜି ମର୍ତ୍ତ୍ୟ ସ୍ୱର୍ଗେ

ବିକ୍ରମ ଦେବଙ୍କ ଆଗମନ

ଆଜି ଦ୍ୟୌ ହସଇ, ବିକ୍ରମ ଦେବ ସାଧନାର ପୁରୁଷ

ଆସଇ ।

ଦେଇଛନ୍ତି ଜୀବନଟା ଯାର ଯେ ଅମୃତ

ଦୁଇ ହସ୍ତେ ବାଣ୍ଟି, ଭାଇ

ଆଜି ନିଃସ୍ୱ ସେହି ବିକ୍ରମ ଦେବ

ମୁକ୍ତ ହସ୍ତେ ସ୍ୱର୍ଗେ ପଶଇ

ଜୟ ବିକ୍ରମ ଦେବ, ଜୟ ବିକ୍ରମ ଦେବ,

ଆଜି ସ୍ୱର୍ଗେ ଶଙ୍ଖ ବାଜି ଉଠଇ ।

Image